ଏମିତି ଏକ ପ୍ରସ୍ତାବ
ପାଞ୍ଚବର୍ଷ ହେଲା ଦୁହେଁ ଗୋଟିଏ ଫ୍ଲାଟରେ ରହୁଛନ୍ତି | ମୁଖ୍ୟତଃ ସେମାନଙ୍କର ତିନୋଟି ସର୍ତ୍ତ : ୧ . କମ୍ପାନୀ ଦୁଇଜଣଙ୍କ ପାଇଁ ଦୁଇଟି ଫ୍ଲାଟ୍ ର ଭଡ଼ା ଦେଉଛି | ଯେହେତୁ ଦୁହେଁ ଗୋଟିଏ ଫ୍ଲାଟ୍ ରେ ରହୁଛନ୍ତି , ଅନ୍ୟ ଫ୍ଲାଟ୍ ବାବଦକୁ ମିଳୁଥିବା ଭଡ଼ା ଦୁହେଁ ଦୁହିଁଙ୍କପାଇଁ ଖର୍ଚ୍ଚ କରିବେ | ୨ . ସେମାନେ ବିବାହ କରିବେ ନାହିଁ | ୩ . ଯେତେବେଳେ ଜଣେ ଚାହିଁବ ସେମାନେ ଅଲଗା ହୋଇଯିବେ , ଅନ୍ୟ ଜଣେ ପ୍ରତିରୋଧ କରିବ ନାହିଁ କିମ୍ବା କୌଣସି ପ୍ରକାର ପ୍ରତିବନ୍ଧକ ହେବ ନାହିଁ | ଏହି ତିନୋଟି ସର୍ତ୍ତ ଥିଲା ଅଲିଖିତ | ସୁବ୍ରତ ସିଗାରେଟ , ଗଞ୍ଜେଇମିଶା ସିଗାରେଟ୍ ଟାଣିବା ଛାଡ଼ିଦେଇଛି | କାରଣ , ଅନୁପମା ସିଗାରେଟ୍ ଗନ୍ଧ ସହି ପାରେନି | ମଦ୍ୟପାନ ବି କମେଇ ଦେଇଛି | ଅନୁପମା ରଗାରଗି କରିବା , ଚିଡ଼ିବା ସୁବ୍ରତ ପ୍ରତ୍ୟକ୍ଷ କରୁ ନାହିଁ ଦୁହିଁଙ୍କ ଭିତରେ ଯେ ରାଗରୁଷା ହେଉ ନାହିଁ ତାହା ନୁହେଁ , ଦିନେ ଦିନେ ହୋଇଯାଉଛି | ତୃତୀୟ ସର୍ତ୍ତ ଅନୁସାରେ କାଳେ ଅନ୍ୟଜଣେ ଅଲଗା ହୋଇଯିବାକୁ ଚାହିଁବ , ରାଗରୁଷା ବେଶୀ ଦୂରକୁ ଯାଉ ନାହିଁ ସେଥିପାଇଁ ଦୁହେଁ ସତର୍କ ରହୁଛନ୍ତି |